ହାତ ଯୋଡିଲେ ଆଞ୍ଜୁଳାଟିଏ
17 ଜୁଲାଇ 2017
ଶେୟାର କରନ୍ତୁ :
ମୋ ଜୀବନକାଳମଧ୍ୟରେ ମୁଁ ବ୍ୟବସାୟ, କଳା, ଡାକ୍ତରୀ, ଖେଳକୁଦ, ହସ୍ତଶିଳ୍ପ ଏବଂ ଅନ୍ୟାନ୍ୟ ବହୁ କ୍ଷେତ୍ରରେ ଉତ୍କର୍ଷତା ଅର୍ଜନ କରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ସାଙ୍ଗରେ କାମ କରିଛି, ସେମାନଙ୍କ ଜୀବନ କାହାଣୀ ଶୁଣିଛି ଏବଂ ସେମାନଙ୍କର ସାଫଲ୍ୟର ଗୁଢ ତତ୍ତ୍ବ ବୁଝିବାର ସୁଯୋଗ ପାଇଛି। ଏମାନଙ୍କ ଭିତରୁ ଅଧିକାଂଶ ନିମ୍ନ କିମ୍ବା ମଧ୍ୟବିତ୍ତ ପରିବାରରେ ଜନ୍ମ। ତେବେ ଉତ୍କର୍ଷର କ୍ଷେତ୍ର ବା ସାମାଜିକ ସ୍ଥିତି ନିର୍ବିଶେଷରେ ପ୍ରତିଟି ବ୍ୟକ୍ତି ଭିତରେ ମୁଁ ଗୋଟିଏ ଅସାଧାରଣ ଗୁଣ ଲକ୍ଷ୍ୟ କରିଛି। ତାହା ହେଲା ଗ୍ରହଣ କରିବାର କ୍ଷମତା।
ସେମାନଙ୍କ କଥା ଚିନ୍ତା କଲେ ପ୍ରଥମ ମନକୁ ଆସେ ସେମାନଙ୍କର ଭାଇଭଉଣୀଙ୍କ କଥା। ପରିବାରରେ ବାପା, ମା’ମାନେ ସବୁ ପିଲାଙ୍କୁ ଏକାରକମର ସ୍ନେହ, ଶାସନ ଦେଇଥାଆନ୍ତି। ଭଲମନ୍ଦ ବାଛିବାର କ୍ଷମତା ଶିକ୍ଷା ଦେଇଥାଆନ୍ତି। କିନ୍ତୁ ସେମାନଙ୍କ ଭିତରୁ କାହିଁକି ଜଣେ ଉତ୍କର୍ଷର ଉଚ୍ଚ ଶୀଖରକୁ ଯାଏ ଏବଂ କାହିଁକି ଜଣେ ପଛରେ ରହିଯାଏ? ଅନେକେ ଏଥିପାଇଁ ଭାଗ୍ୟକୁ ଦାୟୀ କରନ୍ତି। କିନ୍ତୁ ମୋ ମତରେ ଉତ୍କର୍ଷତା ହାସଲ କରିଥିବା ଜଣଙ୍କ ଭିତରେ ଈଶ୍ବରଦତ୍ତ ବିଭିନ୍ନ ଗୁଣ ସହିତ ଆଉ ଗୋଟିଏ ବଡ ଗୁଣ ରହିଛି। ସେଇଟି ହେଲା ଅନ୍ୟ ଜଣେ ପ୍ରତିଭାବାନ୍ ବ୍ୟକ୍ତିଙ୍କଠାରୁ ଶିକ୍ଷା, ଶୈଳୀ, ଦକ୍ଷତା କିମ୍ବା ଆଚାର ବ୍ୟବହାର ଗ୍ରହଣ କରିବା ଏବଂ ନିଜ ଭିତରେ ସେସବୁକୁ ଧରି ରଖିବା। ମୋ ମତରେ ଚେଷ୍ଟା କରିଲେ ଏଇ ଗୁଣଟି ଅନେକେ ଆହରଣ କରିପାରିବେ।
ପ୍ରତିଭାବାନ୍ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଅନେକ ଆସିଥାଆନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି କେତେ ଜଣ ସେମାନଙ୍କର ଗୁଣକୁ ପ୍ରକୃତ ପକ୍ଷରେ ଗ୍ରହଣ କରନ୍ତି? ଏଥିପାଇଁ କ’ଣ କୌଣସି ସହଜ ବାଟ ରହିଛି?
ଦୈନନ୍ଦିନ ଜୀବନରେ ଆମେ ଏଭଳି ବହୁ ବନ୍ଧୁ, ଶିକ୍ଷକ, ସହକର୍ମୀ କିମ୍ବା ଅଧିକାରୀଙ୍କ ସଂସ୍ପର୍ଶରେ ଆସିଥାଉ, ଯେଉଁମାନେ କି କୌଣସି ଗୋଟିଏ କ୍ଷେତ୍ରରେ ପାରଙ୍ଗମ। ପାଠରେ ହେଉ, ଖେଳରେ ହେଉ, କଳାରେ ହେଉ ବା ମେସିନ୍ ଚଲେଇବାରେ ହେଉ। ଅଧିକାଂଶ ଏହି କୃତିତ୍ବକୁ ଦୂରରୁ ଦେଖି, ପ୍ରଶଂସା କରି ଚାଲିଯାଆନ୍ତି। କିନ୍ତୁ ଏଭଳି କେଇ ଜଣ ଅଟକି ରହିଯାଆନ୍ତି, ଯେଉଁମାନେ କି ଦୁଇ ପାଦ ଆଗେଇ ଯାଇ କହନ୍ତି - ମୋତେ ଟିକିଏ ଶିଖେଇ ଦିଅନ୍ତୁ।
ଶୁଣିବାକୁ ସହଜ, ହେଲେ ଏହି ଚାରୋଟି ଶବ୍ଦ କହିବା ସହଜ ନୁହଁ। ମନରେ କୁଣ୍ଠା ଆସିବା ସ୍ବାଭାବିକ। ତା’ଛଡା ଭୟ କିମ୍ବା ଅହଙ୍କାର ମଧ୍ୟ ମନକୁ ଆସିପାରେ। କିନ୍ତୁ ମନେ ରଖିବାକୁ ହେବ ଯେ ଦେଇପାରିବା ଅପେକ୍ଷା ହାତ ପତାଇ ମାଗିନେବାର କ୍ଷମତା ଉର୍ଦ୍ଧ୍ବରେ। ଏଭଳି ମାଗିବାରେ ମଣିଷ ଛୋଟ ହୋଇଯାଏ ନାହିଁ।
ବେଶ୍ କିଛି ବର୍ଷ ତଳେ ମୋ ସାନ ଝିଅ ଦଶମରେ ପଢିବା ବେଳେ ମୋତେ ତା’ ସ୍କୁଲର ବାର୍ଷିକ ଉତ୍ସବରେ ପ୍ରଧାନ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ଉତ୍ସବ ଆରମ୍ଭ ହେବା ମାତ୍ରକେ ଜଣେ ଶିକ୍ଷୟିତ୍ରୀ ପବିତ୍ର ବାଇବେଲ୍ରୁ ପ୍ରାର୍ଥନାଟିଏ ପଢିଥିଲେ। ପ୍ରାର୍ଥନାଟି ଏଇଭଳି - ‘ହେ ପ୍ରଭୁ, ମୋତେ ଗରୀବଟିଏ କର।’ ମୁଁ ଆଶ୍ଚର୍ଯ୍ୟ ହେଇଥିଲି। ସଚରାଚର ଦେଖାଯାଏ ଯେ ଜଣେ ଧନଜନ ଗୋପଲକ୍ଷ୍ମୀ ପାଇବା ପାଇଁ ପ୍ରାର୍ଥନା କରେ। ଏ ପୁଣି କିଭଳି ପ୍ରାର୍ଥନା? ପରେ ଜାଣିଲି ଯେ କେବଳ ଜଣେ ଗରୀବ ମଣିଷ ହିଁ ଦୁଇ ହାତ ବଢେଇଦେବାର ସାମର୍ଥ୍ୟ ରଖେ, ଅନ୍ୟମାନେ ନିଜର ଅହଂ ଭାବ ଯୋଗୁ୍ଁ ଏହି ସାମର୍ଥ୍ୟଟି ହରାଇ ବସନ୍ତି। ସେତେବେଳେ ଜଗନ୍ନାଥଙ୍କ ଜଣାଣଟିଏ ମୋ ମନକୁ ଆସିଯାଇଥିଲା, ଯେଉଁଥିରେ କି ତାଙ୍କର ଭକ୍ତ କହିଛନ୍ତି - ଠାକୁର, ମୋତେ ବଡଦାଣ୍ଡର ଭିକାରୀଟିଏ କରିଦିଅ।
ଶିକ୍ଷାଦୀକ୍ଷା, କୌଶଳ ଏବଂ କୃତୀ ଗ୍ରହଣ କରିନେବା ପାଇଁ କେବଳ ହାତ ବଢେଇଦେଲେ ଯଥେଷ୍ଟ ନୁହଁ, ମନେରଖିବାକୁ ହେବ ଯେ ଦାତା ଭିକ୍ଷାପାତ୍ର ଭରିଦେବା ପୂର୍ବରୁ ଗ୍ରହୀତାର ଅକପଟତା ପରଖି ଦେଖିପାରନ୍ତି। ଆକାଂକ୍ଷାଟି ଯଥାର୍ଥ କିମ୍ବା ସୀମିତ ଫଳ ପ୍ରାପ୍ତି ଆଶା ଏଥିରେ ନିହିତ, ତାହା ହୁଏତ ଦାତା ବିଚାର କରିପାରନ୍ତି। ଉଦାହରଣଟିଏ ଦେଉଛି। ଜଣେ ଛାତ୍ର ଯଦି ବର୍ଷ ଆରମ୍ଭରେ କହେ- ‘ମ୍ୟାଡମ୍, ମୋତେ ଗଣିତ ଶିଖାଇ ଦିଅନ୍ତୁ’, କିମ୍ବା ‘ସାର୍, ମୁଁ କେମିତି ଆପଣଙ୍କ ଭଳି ମୃଦଙ୍ଗ ବଜେଇ ପାରିବି, ଶିଖେଇ ଦିଅନ୍ତୁ’, ତେବେ ତା’ ଭିତରେ ହୁଏତ ପ୍ରକୃତ ଶିକ୍ଷାର ମନୋବୃତ୍ତି ରହିଛି। ଜଣେ ଯଦି ପରୀକ୍ଷାର ମାସକ ଆଗରୁ ଏଭଳି ଅନୁରୋଧ କରେ, ତେବେ ହୁଏତ ତା’ର ମନୋବୃତ୍ତି ସଂକୀର୍ଣ୍ଣ।
ବର୍ଷ ଆରମ୍ଭରୁ ଦ୍ବାରସ୍ଥ ଛାତ୍ରଟିକୁ କେତେକ ବିଶେଷ ଗୁଣ ତୋଳି ଧରିବାକୁ ହେବ। ପ୍ରଥମଟି ହେଲା, ପରିଶ୍ରମ କରିବାର ପ୍ରତିଶ୍ରୁତି। ଦ୍ବିତୀୟଟି ହେଲା, ଗୁରୁଙ୍କ ସମୟ ଅନୁସାରେ ନିଜ ସମୟକୁ ନିୟନ୍ତ୍ରଣ କରିବାର ଆଗ୍ରହ। ଉଦାହରଣଟିଏ ଦେଉଛି। ଜଣେ ଯଦି ସିନିୟର୍ ନର୍ସ୍ଙ୍କଠାରୁ ରୋଗୀକୁ ଅଳ୍ପ କଷ୍ଟ ଦେଇ ଇଞ୍ଜେକ୍ସନ୍ ଦେବାର ପଦ୍ଧତ୍ତି ଶିଖିବାକୁ ଚାହେଁ କିମ୍ବା କେବଲ୍ଟିଏ ସଠିକ ଓ ସୂଚାରୁ ଭାବରେ ‘କ୍ରିଂପ୍ରିଂ’ର ଉପାୟ ବୁଝିବାକୁ ଚାହେଁ, ତେବେ ତାକୁ ନିଜ ଅପେକ୍ଷା ଶିକ୍ଷକଙ୍କର ସମୟକୁ ଅଧିକ ଗୁରୁତ୍ବ ଦେବାକୁ ହେବ। ତୃତୀୟରେ ଜଣଙ୍କ ଠାରୁ କିଛି ପାଇବା ପରେ ତାଙ୍କୁ କିଛି ଦେବା ପାଇଁ ବା ସାହାଯ୍ୟ କରିବା ପାଇଁ ପ୍ରକୃତ ଇଚ୍ଛା ମନରେ ରଖିବା। ହୁଏତ ଅପର ମଣିଷଙ୍କର ବିଶେଷ କିଛି ଆବଶ୍ୟକତା ନ ଥାଇପାରେ ବା ତାଙ୍କୁ କିଛି ଦେବା ଭଳି କ୍ଷମତା ଛାତ୍ରଟିଏର ନ ଥାଇପାରେ। କିନ୍ତୁ ଗୁଣ୍ଡୁଚି ରାମଚନ୍ଦ୍ରଙ୍କୁ ସାହାଯ୍ୟ କରିବା ଭଳି ଚେଷ୍ଟା ତ ଜଣେ କରିପାରେ। ଶେଷ କଥାଟି ହେଲା, ଶିକ୍ଷା ଗ୍ରହଣ କରିବା ସମୟରେ ଯଦି କୌଣସି ଅନୁଶୀଳନ ବା ଶାସନର ସାମ୍ନା କରିବାକୁ ହୁଏ, ତେବେ ତାହା ମୁଣ୍ଡପାତି ଗ୍ରହଣ କରିବାକୁ ହେବ। ମୁଁ ଥରେ ଗୋଟିଏ ନୃତ୍ୟ ଗୁରୁକୂଳକୁ ଯାଇଥିଲି। ସେଠି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଥିଲେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନା ଜଣେ ନୃତ୍ୟଶିଳ୍ପୀ। ଛାତ୍ରଛାତ୍ରୀଙ୍କର ଭୁଲ ହେଲେ ସେ ସର୍ବସମ୍ମୁଖରେ ବିରକ୍ତ ହେଉଥିଲେ। ଆଜିକାଲି ଗୁରୁଙ୍କର ଏଭଳି ଶାସନରେ ଜଣେ ବିକ୍ଷୁବ୍ଧ ହୋଇପାରେ। କିନ୍ତୁ ମନେ ରଖିବାକୁ ହେବ ଯେ ବାସ୍ତବରେ ଯଦି କିଛି ତ୍ରୁଟି ଥାଏ, ତେବେ ଗୁରୁଙ୍କର କଟୁକଥାରେ ହିଁ ରହିଛି ଭବିଷ୍ୟତର ଆଶୀର୍ବାଦ। ତାଙ୍କଠାରୁ କିଛି ପାଇବାକୁ ହେଲେ, ଆଞ୍ଜୁଳା ପାତିବାକୁ ହେବ।